ଭୂମିହୀନଙ୍କୁ ମିଳିଲା ଜମି ପଟ୍ଟା

ନିମାପଡା ତହସିଲ ଦ୍ୱାରା ଭୂମିହୀନ ମାନଙ୍କୁ ଚିହ୍ନଟ କରାଯାଇ ବସୁନ୍ଧରା ଯୋଜନା ମାଧ୍ୟମରେ ଜମି ପଟ୍ଟା ବଣ୍ଟନ କରାଯାଇଛି । ଏଥିରେ ସ୍ଥାନୀୟ ବିଧାୟିକା ତଥା ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗଦେଇ ହିତାଧିକାରୀ ମାନଙ୍କୁ ପଟ୍ଟା ବଣ୍ଟନ କରିଥିଲେ । ଏଥିସହିତ ଯେଉଁମାନଙ୍କର ୪ ଡ଼ିସିମିଲିରୁ କମ୍ ଜାଗାଅଛି ସେମାନେ ଭୂମିହୀନ ଭାବେ ଗଣାଯିବେ। ପୂର୍ବରୁ ଯେତେ ସରକାର ଥିଲେ ଲୋକ ମାନଙ୍କର ଏହି ସମସ୍ୟାକୁ ଦୃଷ୍ଟି ଦେଇ ନଥିଲେ। ଆମ ସରକାର ଲୋକମାନଙ୍କର ଅସୁବିଧାକୁ ହୃଦୟଙ୍ଗମ କରି ଏହାକୁ ସରଳିକରଣ କରିବା ସହିତ ସେମାନଙ୍କୁ ତାଙ୍କ ହକ୍ ପ୍ରଦାନ କରିବାକୁ ପ୍ରତିଶୃତିବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।

ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ୪୦ ଜଣ ଭୂମିହୀନ ହିତାଧିକାରୀଙ୍କୁ ନିମାପଡ଼ା ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ କରାଯାଇଛି। ବ୍ଲକ କନଫରେନ୍ସ ହଲରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉପ ଜିଲ୍ଲାପାଳ ରାଜକିଶୋର ଜେନା, ତହସିଲଦାର ମନୋଜ ପ୍ରଧାନ, ଅତିରିକ୍ତ ତହସିଲଦାର ନିରଞ୍ଜନ ନାୟକ, ବିଡ଼ିଓ ଡ଼ଃ ଅଭିଜିତ ଷଡ଼ଙ୍ଗୀ, ସାଂସଦ ପ୍ରତିନିଧି ମିନଲତା ମହାନ୍ତି ଏବଂ ପୂର୍ଣ୍ଣଚନ୍ଦ୍ର ଓଝା ପ୍ରମୁଖଙ୍କ ଉପସ୍ଥିତିରେ ହିତାଧିକାରୀ ମାନଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା। ବସୁନ୍ଧରା ଯୋଜନା, ସିକିମ୍ ସତ୍ତ୍ୱ ଏବଂ ଶିକ୍ଷାନୁଷ୍ଠାନ ସର୍ବମୋଟ ୪୦ ହିତାଧିକାରୀଙ୍କୁ ସ୍ଥାୟୀ ପଟ୍ଟା ଦିଆଯାଇଥିଲା। ରଜ ପର୍ବର ଶେଷ ଦିନ ଭୂଇଁ ନହଣ ଅବସରରେ ଏହି ପଟ୍ଟା ପ୍ରଦାନ କରାଯାଇ ଥିବାରୁ ହିତାଧିକାରୀମାନେ ଅତ୍ୟନ୍ତ ଖୁସିହେବା ସହିତ ଶ୍ରୀମତୀ ପରିଡ଼ାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ନିମାପଡ଼ରେ ବର୍ତ୍ତମାନ ସୁଦ୍ଧା ଗଣନା କରାଯାଇଥିବା ୫୦୦ରୁ ଉର୍ଦ୍ଧ୍ୱ ହିତାଧିକାରୀ ମାନଙ୍କୁ ଆସନ୍ତା ଡିସେମ୍ବର ମାସ ମଧ୍ୟରେ ପଟ୍ଟା ପ୍ରଦାନ କରାଯିବ ବୋଲି ତହସିଲଦାର ମନୋଜ ପ୍ରଧାନ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *