ଶୁଣ ସରକାର ! ମଣ୍ଡିରୁ ଉଠୁନି ଧାନ, ଚାଷୀ ହନ୍ତସନ୍ତ ।

ନଏଜ ଓଡିଶା: ଚଳିତ ରବି ଋତୁରେ ୧୪ ଲକ୍ଷ ମେଟ୍ରିକ ଟନରୁ ଅଧିକ ଧାନ ସଂଗ୍ରହ କରିବାକୁ ଲକ୍ଷ ରଖିଥିଲେ ସରକାର । କୌଣସି ଚାଷୀ ଯେପରି ସମସ୍ୟାର ସମ୍ମୁଖୀନ ନହେବେ ସେଥିପ୍ରତି ଦୃଷ୍ଟି ଦିଆଯାଇଛି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଥିଲେ । ସରକାରୀ ସୂଚନା ଅନୁସାରେ ରବିଧାନ ବିକ୍ରି ଅବଧି ଜୁନ ୩୦ ତାରିଖ ରହିଥିବା ବେଳେ ପର୍ଯ୍ୟାପ୍ତ ଟାର୍ଗେଟ ନମିଳିବାରୁ ମିଲର୍ସ ମାନେ ଧାନ କିଣୁ ନାହାନ୍ତି । ଯାହା ଫଳରେ ଚାଷୀଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ରାଜ୍ୟରେ ଅନେକ ମଣ୍ଡିରେ ୫୦ ପ୍ରତିଶତରୁ କମ ଧାନ ବିକ୍ରି ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ମୌସୁମୀ ବର୍ଷା କାରଣରୁ ଚାଷୀମାନେ ବିକ୍ରି ପାଇଁ ରଖିଥିବା ଧାନ ଗଜା ହେବାକୁ ବସିଲାଣି ।
ପୁରୀ, ବରଗଡ଼, ଝାରସୁଗୁଡା, କଳାହାଣ୍ଡି ଏହିପରି ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲାର ଚାଷୀ କଷ୍ଟକରି ଉତ୍ପାଦିତ କରିଥିବା ଧାନକୁ ବିକ୍ରି କରିନପାରି ଗଭୀର ଚିନ୍ତାରେ ଅଛନ୍ତି । ଚାଷୀ ମାନଙ୍କୁ ମିଳିଥିବା ଧାନ ବିକ୍ରିର ନିର୍ଧାରିତ ତାରିଖର ସୂଚନା ମାସେ ପୂର୍ବରୁ ଗଲାଣି । ପଞ୍ଜିକୃତ ଚାଷୀଙ୍କୁ ଟୋକନ ମିଳିଥିଲେ ମଧ୍ୟ ଟାର୍ଗେଟ ନଥିବାରୁ ସେମାନେ ଧାନ ବିକ୍ରି କରି ପାରୁନାହାନ୍ତି ।
ଅନ୍ୟପଟେ ଯେଉଁ କେତୋଟି ଚାଷୀ ଧାନ ବିକ୍ରି କରିଛନ୍ତି ମିଲର୍ସ ମାନେ ମନଇଛା କାଟନି ଛାଟନି କରିଥିବାର ସୂଚନା ମିଳିଛି । ମୌସୁମୀ ବର୍ଷା କାରଣରୁ ଧାନରେ ମଶ୍ଚର ରହୁଥିବାର ଆଳ ଦେଖାଇ ଅତିରିକ୍ତ କାଟ କାଟୁଛନ୍ତି । ଅନେକ ଚାଷୀ ବାଧ୍ୟରେ ଶାଗମାଛ ଦରରେ ବାହାର ବେପାରୀଙ୍କୁ ଧାନ ବିକ୍ରି କରିବାକୁ ମଧ୍ୟ ବାଧ୍ୟ ହେଉଛନ୍ତି ।
ଟାର୍ଗେଟ ନଥିବା କାରଣରୁ ମିଲର୍ସ ମାନେ ଧାନ କିଣୁ ନଥିବା ଯୁକ୍ତି ବଢୁଥିବା ବେଳେ ଏବେ ଚିନ୍ତାରେ ଚାଷୀ । ପୂର୍ବରୁ ଯୋଗାଣ ମନ୍ତ୍ରୀ ଚାଷୀଙ୍କ ସମସ୍ୟାକୁ ଦୃଷ୍ଟି ଦିଆଯାଉଥିବା କହୁଥିବାବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ମଣ୍ଡିରେ ୫୦ ପ୍ରତିଶତ ଧାନ ପଡ଼ିରହିଛି । ତେଣୁ ନିର୍ଦ୍ଧାରିତ ଅବଧି ଭିତରେ ତୁରନ୍ତ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଚାଷୀମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *