ନିମାପଡ଼ାରେ ପ୍ରକାଶିତ ଏକ ସାପ୍ତାହିକ ଖବର କାଗଜର ସମ୍ପାଦକ ସେହି ଅଂଚଳର କିଛି ଅନୁସୂଚିତ ଜାତିର ସାମ୍ବାଦିକ ମାନଙ୍କୁ ସର୍ବସାଧାରଣରେ ଜାତିଆଣ ଆକ୍ଷେପ କରିବା ସହିତ ଗାଳିଗୁଲଜ କରି ସେମାନଙ୍କ ସମ୍ମାନ ହନିକରିଥିବା ଏବଂ ପିନ୍ଧିଥିବା ସୁନା ଚେନ ଛଡେଇନେବା ଅଭିଯୋଗରେ ନିମାପଡା ଥାନାରେ ସମ୍ପୃକ୍ତ ସମ୍ପାଦକଙ୍କ ନାମରେ ୨ଟି ମାମଲା (୧୯୭/୨୫ ଓ ୨୦୨/୨୫) ନିମାପଡା ଥାନାରେ ରୁଜୁ ହୋଇଥିଲା । ମାତ୍ର ନିମାପଡା ଥାନା ସେହି ଅଭିଯୋଗକୁ ଗୁରୁତର ସହିତ ନନେଇ ଉକ୍ତ ସମ୍ପାଦକଙ୍କୁ ଗିରଫ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିଥିଲା । ଯାହାର ପ୍ରତିବାଦରେ ଗତକାଲି ରାସ୍ତାକୁ ଓଲ୍ହାଇଥିଲା ଜାତୀୟ ଦଳିତ ଆଦିବାସୀ ମାଇନୋରିଟି ମହାସଂଘ । ମହାସଂଘ ପକ୍ଷରୁ ନିମାପଡ଼ା ଥାନା ସମ୍ମୁଖରେ ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠିଙ୍କ ଅଧ୍ୟକ୍ଷତାରେ ପ୍ରତିବାଦ ସଭା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ଜଦି ପୋଲିସ ୪୮ ଘଣ୍ଟା ମଧ୍ୟରେ ତାଙ୍କୁ ଗିରଫ ନକରେ ତେବେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଶ୍ରୀ ସେଠି ଧମକ ଦେଇଥିଲା ବେଳେ ଏସଡିପିଓ ଜନାର୍ଦ୍ଦନ ପାଢ଼ୀ ଓ ଆଇ ଆଇ ସି ବାମଦେବ ସ୍ବାଇଁ ଆନ୍ଦୋଳନ ସ୍ଥଳରେ ପହଞ୍ଚି ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ମହାସଂଘର ଦାବିପତ୍ର ଗ୍ରହଣ କରିଥିଲେ। ବିକ୍ଷୋଭ ପ୍ରାରମ୍ଭରେ ମହାସଂଘର ଶତାଧିକ ମହିଳା ସଦସ୍ୟ ପୁରୁଣା ବସଷ୍ଟାଣ୍ଡଠାରୁ ଶୋଭାଯାତ୍ରା ରେ ବାହାରି ବଜାର ପରିକ୍ରମା କରି ଥାନା ସମ୍ମୁଖରେ ପହଞ୍ଚି ଥିଲେ। ଏଠାରେ ସୂଚନା ଯୋଗ୍ୟ ସମ୍ପୃକ୍ତ ସମ୍ପାଦକ ପୂର୍ବରୁ ଏହିଭଳି ଆଚରଣ ପାଇଁ ନିମାପଡା ପ୍ରେସ୍ର କ୍ଲବର ସଦସ୍ୟ ମାନଙ୍କ ଅନୁମୋଦନ କ୍ରମେ କ୍ଲବରୁ ବହିସ୍କୃତ ହୋଇଥିଲେ ।
ସାପ୍ତାହିକ ଖବର କାଗଜ ସମ୍ପାଦକଙ୍କ ଗିରଫ ଦାବିରେ ନିମାପଡ଼ାରେ ଦଳିତ ସଙ୍ଘ ପକ୍ଷରୁ ଥାନା ସମ୍ମୁଖରେ ବିକ୍ଷୋଭ।
