ନିମାପଡ଼ା: ବହୁ ଚର୍ଚ୍ଚିତ କାନକଟା ମାମଲାର ବିଚାର କରି ନିମାପଡ଼ା ସହକାରୀ ଦୌରା ଜଜ ସଂଘମିତ୍ରା ବିଶ୍ୱାଳ ଅଭିଯୁକ୍ତ ମାନଙ୍କୁ ତିନି ବର୍ଷ ସଶ୍ରମ କାରାଦଣ୍ଡ ସହ 10 ହଜାର ଟଙ୍କା ଜୋରିମାନା ନିର୍ଦେଶ ଦେଇଛନ୍ତି । ଜୋରିମାନା ଅନାଦେୟରେ ତିନି ମାସ ଅତିରିକ୍ତ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ସୂଚନା ମୁତାବକ ଗତ 2010 ମସିହା ଡିସେମ୍ବର ମାସ 5 ତାରିଖ କୋଣାର୍କ ମହୋତ୍ସବର ଶେଷ ଦିନ ରାତ୍ର 11 ଟା 40 ମିନିଟ ସମୟରେ କୋଣାର୍କରେ ପାନ ଦୋକାନ ବନ୍ଦ କରି ରାମଚନ୍ଦ୍ର ଜେନା ନିଜ ମାଧିପୁର ନିଜ ଘରକୁ ଯାଉଥିବା ସମୟରେ ମାଧିପୁର ଛକ ନିକଟରେ ଜଗି ରହିଥିବା ବିଜୟ ନିଶଙ୍କ,ରଞ୍ଜନ କୁମାର ନିଶଙ୍କ, ଶରତଚନ୍ଦ୍ର ଦାସ ତାଙ୍କୁ ଅଟକାଇ ତାଙ୍କୁ ମାଡ଼ ମାରି 5 ହଜାର ଟଙ୍କା ପିନ୍ଧିଥିବା ସୁନା ଚେନ ଛଡାଇ ନେବା ସହ ବିଜୟ ନିଶଙ୍କ ଏକ ଭୁଜାଲିରେ ରାମଚନ୍ଦ୍ରଙ୍କ କାନକୁ ହାଣି ଦେଇଥିଲା। ଫଳରେ ରାମଚନ୍ଦ୍ର କାନ ଶରୀରରୁ ଅଲଗା ହୋଇଯାଇଥିଲା । ଏ ନେଇ ରାମଚନ୍ଦ୍ର କୋଣାର୍କ ଥାନାରେ ଅଭିଯୋଗ କରିଥିଲେ । ସମସ୍ତ ସାକ୍ଷ ପ୍ରମାଣ ଆଧାରରେ ବିଚାରପତି ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ସରକାରଙ୍କ ପକ୍ଷରୁ ଆଇନଜୀବି ପ୍ରବୋଧ କୁମାର ପରିଡା ଏହି ମାମଲା ପରିଚାଳନା କରିଥିଲେ ।
କାନକଟା ଘଟଣାରେ ଦୋଷୀଙ୍କୁ ତିନି ବର୍ଷ ସଶ୍ରମ କାରାଦଣ୍ଡ।
