ସତ୍ୟ ଧର୍ମ ଏବଂ ମର୍ଯ୍ୟାଦାର ସର୍ବୋଚ୍ଚ ପ୍ରତୀକ ପ୍ରଭୁ ଶ୍ରୀରାମଙ୍କ ପବିତ୍ର ଜନ୍ମ ଉତ୍ସବ ‘ଶ୍ରୀରାମ ନବମୀ’ ଅବସରରେ ଗାଁ ରୁ ସହର ସବୁକିଛି ଉତ୍ସବ ମୁଖର। କେଉଁଠି ହୋମ ଯଜ୍ଞ ର ଆୟୋଜନ ତ ଆଉ କେଉଁଠି ଅଷ୍ଟପ୍ରହରୀ ନାମ ଯଜ୍ଞ ରେ ପ୍ରକମ୍ପିତ ହେଉଛି ପରିବେଶ। ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଙ୍କ ଜନ୍ମଦିନରେ ଆଜି ନିମାପଡ଼ା ବ୍ଲକ ଅନ୍ତର୍ଗତ ଚଅଁରପଦା ପଞ୍ଚାୟତ ର ଭାଟବନ୍ଧ ବଣିଆସାହି ରେ ମହା ଆଡମ୍ବରରେ ରାମ ନବମୀ ପାଳିତ ହୋଇଯାଇଛି। ଦୁଇ ଦିନ ଧରି, ଅର୍ଥାତ୍ ଅଶୋକାଷ୍ଟମୀ ରେ ହୋମ ଯଜ୍ଞ କରାଯାଇ ରାମ ନବମୀ ଦିନ ଅଷ୍ଟପ୍ରହରୀ ର ଆୟୋଜନ କରାଯାଇଥିଲା।
ଦୀର୍ଘ ବର୍ଷ ଧରି ଗ୍ରାମରେ ଥିବା ପ୍ରଭୁ ହନୁମାନଙ୍କ ମନ୍ଦିର ପ୍ରାଙ୍ଗଣରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ବେଳେ ଚଳିତ ବର୍ଷ ମଧ୍ୟ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁମାନେ ଏଥିରେ ଯୋଗଦେଇଥିଲେ। ସମସ୍ତ ଗ୍ରାମବାସୀ ଅତ୍ୟନ୍ତ ଶ୍ରଦ୍ଧା ଓ ସମର୍ପଣର ଭାବରେ ଏକତ୍ରିତ ହୋଇ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ପରମ୍ପରା ଅନୁଯାୟୀ ଗ୍ରାମର ଯୁବକ ମାନେ ପାଣି ତୋଳା ରେ ସାମିଲ ହୋଇଥିଲେ। ପରେ ପରେ ଯଜ୍ଞର ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହୋଇଥିଲା ସମଗ୍ର ପରିବେଶ। ବିଧିବଦ୍ଧ ଭାବରେ ଯଜ୍ଞ ସମାପନ ପରେ ଅଷ୍ଟପ୍ରହରୀ ନାମଯଜ୍ଞ ର ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ନାମ ଧାରି ତଥା ସଙ୍କିର୍ତ୍ତନ ମଣ୍ଡଳୀ ସାମିଲ ହୋଇ ପ୍ରଭୁଙ୍କ ନାମ କିର୍ତନ କରିଥିଲେ। ସନ୍ଧ୍ୟା ରେ ସମସ୍ତ ଭକ୍ତ ଏବଂ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଏହି ଅବସରରେ ଆଖ ପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଯୋଗଦେଇଥିଲେ। ଏଠାରେ ସୂଚନାଯୋଗ୍ୟ, ଭାଟବନ୍ଧ ବଣିଆସାହି ଗ୍ରାମରେ ଦୀର୍ଘ ୨୬ ବର୍ଷ ଧରି ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଙ୍କ ଜନ୍ମଦିନ ବା ରାମ ନବମୀ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଆସୁଛି।

