ନଏଜ ଓଡିଶା:ବିଦ୍ୟାଳୟରେ ପିଲାମାନଙ୍କୁ ଦିଆଯାଉଥିବା ମାଧ୍ୟାନ ଭୋଜନକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଥାଏ । କେତେବେଳେ ପଣିଆ ଡାଲି କଥା ତ ଆଉ କେତେବେଳେ ପୋକରା ଚାଉଳର ଭାତ କଥା । କିନ୍ତୁ ଏଣିକି ଆଉ ନିମ୍ନ ମାନର ଖାଦ୍ୟ ଖାଇବେନି ଛାତ୍ର ଛାତ୍ରୀ । କାରଣ ଏବେ ଅଭିଭାବକ ପିଲାଙ୍କ ଖାଦ୍ୟର ମନ ପରୀକ୍ଷା କରିବେ । ଏଭଳି ଏକ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।
ସ୍କୁଲ ଖୋଲିବା ପୂର୍ବରୁ ରୋଷେଇ ସ୍ଥାନ ପରିସ୍କାର କରାଯିବା ସହ ଖାଦ୍ୟ ମାନ ପରୀକ୍ଷଣ ପାଇଁ ରେଜିଷ୍ଟ୍ରେସନ ରଖିବାକୁ ନିର୍ଦେଶ ଦେଇଛି ଗଣଶିକ୍ଷା ବିଭାଗ । ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି ମାଧ୍ୟାନ ଭୋଜନର ମାନ ପରଖିବେ ଅଭିଭାବକ । ପ୍ରଧାନ ଶିକ୍ଷକ ରୋଷେଇ ସାମଗ୍ରୀର ଯାଞ୍ଚ କରିବେ । ସ୍କୁଲ ରେ ମାନ ପରୀକ୍ଷଣ ରେଜିଷ୍ଟର ରହିବ ସହ ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ବୈଠକ କରିବେ । ଏଥିସହ ମାଧ୍ୟାନ ଭୋଜନରୁ ଯେପରି କୌଣସି ଛାତ୍ର ଛାତ୍ରୀ ବଂଚିତ ନ ହୁଅନ୍ତି ସେଥି ପ୍ରତି ଧ୍ୟାନ ଦିଆଯିବ ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଶିଶୁବାଟିକା ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପିଲା ମାନଙ୍କୁ ପୁଷ୍ଟିକର ରନ୍ଧା ଖାଦ୍ୟ ଦିଆଯାଉଛି । ପିଲା ମାନଙ୍କର ପୋଷଣରେ ବୃଦ୍ଧି ପାଇଁ ମାଣ୍ଡିଆ ଲଡୁ ମଧ୍ୟ ସାମିଲ କରାଯାଇଛି । ଆଗକୁ ମଧ୍ୟ ସରକାର ଏଥିରେ କ୍ଷୀରକୁ ସାମିଲ କରିବାକୁ ଯୋଜନା ରଖିଛନ୍ତି ।
