ନିମାପଡାରେ ଦୀର୍ଘଦିନ ଧରି ବଢ଼ୁଥିବା ଚୋରି ଓ ଛିନିତାଇ ଘଟଣାକୁ ନେଇ ଲୋକମାନେ ଭୟଭୀତ ହୋଇଥିବା ବେଳେ, ଏବେ ନିମାପଡା ପୋଲିସ ହାତକୁ ଲାଗିଛି ବଡ଼ ସଫଳତା। ପୋଲିସ ଦୁଇଜଣ କୁଖ୍ୟାତ ଲୁଟେରାଙ୍କୁ ଗିରଫ କରିବା ସହିତ ନଗଦ ଟଙ୍କା ଓ ବାଇକ ଜବତ କରିଛି।ନିମାପଡା ଅଞ୍ଚଳରେ ଗତ କିଛି ଦିନ ଧରି ବ୍ୟାଙ୍କ ସମ୍ମୁଖରୁ ଟଙ୍କା ଛଡେଇ ନେବା ଘଟଣା ବଢ଼ି ଚାଲିଥିଲା। ବିଶେଷ କରି ବ୍ୟାଙ୍କରୁ ଟଙ୍କା ଉଠାଇ ଯାଉଥିବା ଲୋକଙ୍କୁ ଲକ୍ଷ୍ୟ କରି ଲୁଟେରାମାନେ ଆକ୍ରମଣ କରୁଥିଲେ। ଏହା ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଥିଲା।ଚାରିଦିନ ପୂର୍ବରୁ ଜଗବନ୍ଧୁ ପ୍ରଧାନ ନାମକ ବ୍ୟକ୍ତି ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଯାଉଥିବା ବେଳେ, ଦୁଇଜଣ ଲୁଟେରା ହୋଣ୍ଡା ୟୁନିକର୍ଣ୍ଣ ବାଇକରେ ଆସି ତାଙ୍କୁ ଟଙ୍କା ଛଡେଇ ନେଇଥିଲେ। ପରେ ସେ ନିମାପଡା ଥାନାରେ ଅଭିଯୋଗ ଦାଖଲ କରିଥିଲେ।ଘଟଣା ପରେ ପୋଲିସ ତଦନ୍ତ ଜୋରଦାର କରିଥିଲା। ବିଭିନ୍ନ ସ୍ଥାନରେ ଚଢ଼ାଉ ଓ ନଜରଦାରି ବଢ଼ାଯାଇଥିଲା।ଆଜି ଦିନଦିପହରେ ପୁଣି ଏକ ବଡ଼ ଲୁଟ୍ ପାଇଁ ଯୋଜନା କରୁଥିବା ବେଳେ, ପୋଲିସ ଚତୁରତାର ସହିତ ଚଢ଼ାଉ କରି ଦୁଇଜଣଙ୍କୁ କାବୁ କରିଥିଲା।
ଅଭିଯୁକ୍ତମାନଙ୍କ ପାଖରୁ ଏକ ହୋଣ୍ଡା ୟୁନିକର୍ଣ୍ଣ ବାଇକ ଜବତ ହେବା ସହିତ ନଗଦ ୨ ଲକ୍ଷ ୭୪ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି।
ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳର ପି. ସୁବାଷ ଓ ଏସ. ଈଶ୍ୱର।ପୋଲିସଙ୍କ ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ସେମାନେ ପୂର୍ବରୁ ମଧ୍ୟ ଏହି ପ୍ରକାର ଅନେକ ଲୁଟ୍ ଘଟଣାରେ ଜଡିତ ଥାଇପାରନ୍ତି। ଏନେଇ ପୋଲିସ ଆହୁରି ତଦନ୍ତ ଜାରି ରଖିଛି।ନିମାପଡାରେ ବଢ଼ୁଥିବା ଅପରାଧକୁ ନିୟନ୍ତ୍ରଣ କରିବାରେ ଏହାକୁ ପୋଲିସର ବଡ଼ ସଫଳତା ବୋଲି କୁହାଯାଉଛି।
ନିମାପଡା ପୋଲିସର ବଡ଼ ସଫଳତା, ଦୁଇ ଲୁଟେରା ଗିରଫ
