ଭୁବନେଶ୍ୱର: ସାଂସଦଙ୍କ ପ୍ରତିନିଧିଙ୍କ ନାମରେ ଆସିଲା ସାଙ୍ଘାତିକ ଅଭିଯୋଗ । ଚଞ୍ଚକତା କରି ଖଣି ଟ୍ରାନସପୋର୍ଟିଂ କାରବାର ନିଜ ଦଖଲକୁ ନେବାକୁ କରୁଛନ୍ତି ଷଡଯନ୍ତ୍ର । ସୂଚନା ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲାର କୋଇଡାସ୍ଥିତ ଓଏମସିର ଖଣ୍ଡାଧାର କୁରୁମିତ୍ର ମାଇନସ୍ ରେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ପ୍ରତିନିଧି ସାଜିଥିବା ବାଗୁନ୍ ଗାଗରାଇଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଅନେକ ସାଂଘାତିକ ତଥ୍ୟ ହସ୍ତଗତ ହୋଇଛି । ସାଂସଦଙ୍କ ନାଁ ନେଇ ବିଜେପିର ଏହି ସ୍ଥାନୀୟ ନେତା ଖଣି ଟ୍ରାନସପୋର୍ଟିଂ କାରବାର ନିଜ ଦଖଲକୁ ନେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ବର୍ତ୍ତମାନର ବ୍ୟବସ୍ଥାରେ ଥିବା ଟ୍ରାନସପୋର୍ଟିଂ ନିୟୋଜନ ସଂସ୍ଥାଗୁଡ଼ିକର ଅପସାରଣ ପାଇଁ ସେ କଳବଳ କୌଶଳ ଖଟାଇଛନ୍ତି । ଯେଉଁଥିରେ ଜୁଏଲ ଓରାମ୍ ଙ୍କୁ ମୋହରା ସଜାଯାଇଛି ।
ଗତ ୧ ତାରିଖରେ ସାଂସଦ ପ୍ରତିନିଧି ଲେଟର ପ୍ୟାଡ୍ ରେ ବାଗୁନ୍ ଗାଗରାଇ ଭୁବନେଶ୍ୱରର ମହାଶକ୍ତି ଫର୍ଜିଂ ପା୍ରଇଭେଟ୍ ଲିମିଟେଡକୁ ଏକ ପତ୍ର ଲେଖିଛନ୍ତି । ଖଣ୍ଡାଧାର କୁରୁମିତ୍ର ମାଇନ୍ସରେ ଟ୍ରାନସପୋର୍ଟିଂ କାର୍ଯ୍ୟରେ ନିୟୋଜିତ ମା ଲକ୍ଷ୍ମୀ ଏବଂ ପି ଇନଫ୍ରା ସଂସ୍ଥାକୁ ବିଦା କରି ତାଙ୍କ ଜାଗାରେ ସ୍ଥାନୀୟ ଟ୍ରାନସପୋର୍ଟିଂ ସଂସ୍ଥା ଓରାମ୍ ଲଜିଷ୍ଟିକ୍ କୁ କାମ ଦେବା ପାଇଁ ଚାପ ପକାଇଛନ୍ତି ବାଗୁନ୍ । ନଚେତ୍ କୌଣସି ଅଘଟଣ ପାଇଁ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ସେ କଡ଼ା ଚେତାବନୀ ଦେଇଛନ୍ତି । ଏହାର ଦୁଇଦିନ ପରେ ଗତ ୩ ତାରିଖରେ କୋଇଡା ଓଏମସିର ରିଜିଓନାଲ୍ ମ୍ୟାନେଜରଙ୍କୁ ବାଗୁନ୍ ଲେଖିଥିବା ଅନ୍ୟ ଏକ ପତ୍ରରେ ଟ୍ରାନସପୋର୍ଟିଂ କାର୍ଯ୍ୟ ସ୍ଥାନୀୟ ଲୋକଙ୍କୁ ନ ଦେଲେ ରାଜ୍ୟ ବାହାରକୁ ଯାଉଥିବା କଞ୍ଚାମାଲ ଚାଲାଣକୁ ବନ୍ଦ କରାଯିବ ବୋଲି ଧମକ ଦେଇଛନ୍ତି । ସ୍ଥାନୀୟ ଲୋକଙ୍କ ଦାବିକ୍ରମେ ସାଂସଦ ଜୁଏଲ୍ ଓରାମଙ୍କ ଏହା ନିଷ୍ପତ୍ତି ବୋଲି ସେ ଜଣାଇଥିଲେ । କେନ୍ଦୁଡିହିସ୍ଥିତ ଅଫିସ ସମରାଓରାମ୍ କମ୍ପ୍ଲେକ୍ସକୁ ଟ୍ରାନସପୋର୍ଟରମାନେ ଆସି ଆଲୋଚନା କରନ୍ତୁ । ଏଥିପାଇଁ ୩ ଦିନ ସମୟ ଦିଆଯାଉଛି । ଯଦି କେହି ଟ୍ରାନସପୋର୍ଟର କିମ୍ବା ଫ୍ୟାକ୍ଟ୍ରି ମାଲିକ ଆଲୋଚନାକୁ ନ ଆସନ୍ତି ତେବେ ଟ୍ରାନସପୋର୍ଟିଂ ବନ୍ଦ କରିବାକୁ ସାଂସଦଙ୍କ ନିର୍ଦ୍ଦେଶ ଥିବା ସେ ଏଥିରେ ଲେଖିଥିଲେ ।

ସେହିଭଳି, ଦେଓଝର ଜେଏସପିଏଲ ମ୍ୟାନେଜର, ବିଲେଇପଦାଙ୍କୁ ସେହି ୩ ତାରିଖରେ ଆଉ ଏକ ଚିଠି କରିଥିଲେ ବାଗୁନ୍ ଗାଗରାଇ । ଖଣ୍ଡାଧାର ମାଇନ୍ସରୁ ପ୍ରତିଦିନ ହଜାର ହଜାର ଟନ୍ ର କଞ୍ଚାମାଲ ଦେଓଝର ଜେଏସପିଏଲ ବିଲେଇପଦାକୁ ଯାଉଥିବା ବେଳେ ଗୋଟେ ଲୋକାଲ୍ ଟ୍ରାନସପୋର୍ଟରକୁ ସଂଯୋଗ କରିବାକୁ ସେ ଚାପ ପକାଇଥିଲେ । ଏହା ନ ହେଲେ ଆଗାମୀ ଦିନରେ ଅଶାନ୍ତିର ବାତାବରଣ ସୃଷ୍ଟି ହେବ ବୋଲି ଚେତାବନୀ ଦେଇଥିଲେ ।
ସୂଚନାଥାଉକି, ସୁନ୍ଦରଗଡ଼ ଜିଲ୍ଲାର କୋଇଡାରେ ଥିବା ଖଣ୍ଡାଧାର କୁରୁମିତ୍ର ମାଇନସ୍(ଓଏମସି)ରେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ପ୍ରତିନିଧି ଭାବେ ନିଯୁକ୍ତିପତ୍ର ଧରି ବୁଲୁଛନ୍ତି ସ୍ଥାନୀୟ ଅଞ୍ଚଳା ବିଜେପି ନେତା ବାଗୁନ୍ ଗାଗରାଇ । ଲହୁଣିପଡ଼ା ଥାନା ଅନ୍ତର୍ଗତ ବରସୁଆଁ ଗ୍ରାମରେ ତାଙ୍କ ଘର । ଅଗଷ୍ଟ ୨୫ ତାରିଖରେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ୍ ଙ୍କ ସରକାରୀ ଲେଟର ପ୍ୟାଡ୍ ରେ ଏବଂ ତାଙ୍କ ଦସ୍ତଖତରେ କୋଇଡାସ୍ଥିତ ଓଏମସିର ରିଜିଓନାଲ୍ ମ୍ୟାନେଜରଙ୍କୁ ଏହାର ଚିଠି ହୋଇଛି ।

ଜୁଏଲ୍ ଙ୍କ ଦସ୍ତଖତରେ ହୋଇଥିବା ଚିଠିରେ ଶ୍ରୀ ବାଗୁନ୍ ଗାଗରାଇଙ୍କୁ ଖଣ୍ଡାଧାର କୁରୁମିତ୍ର ମାଇନସ୍ ରେ ସାଂସଦଙ୍କ ପ୍ରତିନିଧି ଭାବେ ଅଧିକୃତ କରାଯାଇଛି । ସାଂସଦଙ୍କ ପକ୍ଷରୁ ସେ ବିଭିନ୍ନ କଥା ବୁଝାବୁଝି କରିବେ । ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଅଫିସରମାନଙ୍କ ସହ କଥା ହେବେ । ସବୁ ବୈଠକରେ ଯୋଗଦେଇ ସାଂସଦଙ୍କ ପକ୍ଷରୁ ଅନୁମୋଦନ ଏବଂ ପରାମର୍ଶ ରଖିବେ ବୋଲି ଉଲ୍ଲେଖ କରାଯାଇଛି ।
ଖଣି ବ୍ୟବସାୟିକ ସଂସ୍ଥାରେ ସାଂସଦଙ୍କ ପ୍ରତିନିଧି ରହିବା ଆଶ୍ଚର୍ଯ୍ୟ ଲାଗୁଥିଲେ ବି କୋଇଡାରେ ତାହା ଦେଖିବାକୁ ମିଳିଛି । ଏ ନେଇ ଜୁଏଲ୍ ଓରାମ୍ ଙ୍କର ପ୍ରତିକ୍ରିୟା ମିଳି ନ ଥିଲେ ମଧ୍ୟ ବାଗୁନ୍ ଗାଗରାଇଙ୍କର କାର୍ଯ୍ୟକଳାପ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।


